ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ସବୁ ଅଛି, କିଛି ନାହିଁ

23 ନଭେମ୍ବର 2017
ଶେୟାର କରନ୍ତୁ :

ଚାଳିଶ ବର୍ଷର କର୍ମ-ଜୀବନ କେତେ ଅଭିଜ୍ଞତା, କେତେ ଶିକ୍ଷା ମୁଁ ସାଉଁଟି ନେଇ ପାରିଛି ଏଇ ଚାରି ଦଶକରେ। କେତେବେଳେ ସେସବୁ ମିଳିଛି ମୋ ଠାରୁ ବୟସ, ବୁଦ୍ଧି, ସାମର୍ଥ୍ୟର ବହୁତ ଉପରେ ଥିବା ମଣିଷମାନଙ୍କ ଠାରୁ। ପୁଣି କେତେବେଳେ ଜୀବନ-ଦର୍ଶନର ତତ୍ତ୍ୱ ମିଳିଛି ଆମେ ଦେଖି ଅଦେଖା କରିଦେଉଥିବା ସାଧାରଣ ମଣିଷମାନଙ୍କ ଠାରୁ।

ବେଶ୍ କିଛି ବର୍ଷ ତଳେ ମୁଁ ଥରେ ମୋର ଜଣେ ସହ-କର୍ମଚାରୀ ଆବ୍ରାହାମ୍ ମୋଜେସଙ୍କ ସହିତ ଅଫିସ୍ କାମରେ ଚେନ୍ନାଇ ଯାଇଥିଲି। କାମ ଶେଷ ହେବା ପରେ ଗାଡ଼ି ଧରି ହୋଟେଲ୍ ଫେରିବା କଥା କିନ୍ତୁ ଡ୍ରାଇଭରଟି ପାର୍କିଙ୍ଗ୍ ପାଇଁ ଜାଗା ପାଇନଥିଲା। କିଛି ଦୂରରେ ଗାଡି ରଖିବାକୁ ହେଲା। ଅଳ୍ପ ସମୟ ଭିତରେ ଆସିଯିବ ଆମକୁ ଟିକିଏ ଅପେକ୍ଷା କରିବାକୁ ହେବ। ମୁଁ ଚାରିଆଡ଼େ ଆଖି ବୁଲାଇଲି। ଚେନ୍ନାଇର ବ୍ୟସ୍ତ ନୁଙ୍ଗାମ୍ବକମ୍ ରୋଡ୍ କେତେ ଲୋକ, କେତେ ଦୋକାନ। ମୋ ଆଖି ରହିଗଲା ରାସ୍ତା କଡ଼ରେ ଗୋଟିଏ ଠେଲା ଗାଡିରେ କାକୁଡ଼ି ବିକ୍ରି କରୁଥିବା ମଣିଷଟିଏ ଉପରେ। ଦେହରେ ଧଳା ସାର୍ଟ୍, ଆଣ୍ଠୁ ପର୍ଯ୍ୟନ୍ତ ମୋଡ଼ା ହୋଇଥିବା ଧଳା ଧୋତି। ଠେଲା ଗାଡ଼ି ସାମ୍ନାରେ ଗରାଖ କେହି ନାହାନ୍ତି। ମୁଁ ଆଉ ମୋଜେସ୍ ତାଙ୍କ ପାଖରେ ପହଞ୍ଚିଗଲୁ ମୋତେ ତାମିଲ ଜଣା ନାହିଁ। ମୋଜେସଙ୍କୁ କହିଲି କାକୁଡ଼ି ଦାମ୍ ବୁଝିବାକୁ ସେ କହିଲେ ଗୋଟିକୁ ଟଙ୍କାଟିଏ।

ଆମକୁ ଗୋଟିଏ ଗୋଟିଏ ଦିଅନ୍ତୁ ତାହେଲେ ବ୍ୟକ୍ତିଜଣକ କାକୁଡ଼ିକୁ ଲମ୍ବା ଲମ୍ବା କରି କାଟିଲେ କାକୁଡ଼ି ଖଣ୍ଡ ଉପରେ ଛିଞ୍ଚି ଦେଲେ ଲୁଣ ଆଉ ଲଙ୍କା ଗୁଣ୍ଡ। ତୃପ୍ତିରେ କାକୁଡ଼ି ଖାଉ ଖାଉ ମୁଁ ମୋଜେସଙ୍କୁ ମାଧ୍ୟମ କରି ଠେଲାଗାଡ଼ି ଦୋକାନୀଙ୍କୁ ଜଣେଇଲି- ଏତେ ଭଲ କାକୁଡ଼ି ହେଲେ ତା ଦାମ୍ ବହୁତ କମ୍ ଆଉ ଟିକିଏ ଅଧିକ ଦାମ୍ କରୁନାହାନ୍ତି କାହିଁକି  ? ବ୍ୟକ୍ତିଜଣକ ମୋତେ ଥରେ ଆପାଦମସ୍ତକ ଦେଖିନେଲେ ତାପରେ କହିଲେ ଯେ ତାଙ୍କ ପାଇଁ ଅଧିକ ଲାଭ ଅପେକ୍ଷା ଗ୍ରାହକର ପରିତୃପ୍ତି ଗୁରୁତ୍ୱପୂର୍ଣ୍ଣ। ଗ୍ରାହକର ପରିତୃପ୍ତି ଶବ୍ଦ ଦୁଇଟି। ସେ କହିଲେ ଇଂରେଜୀରେ Customer Satisfaction। ମୁଁ ଅବାକ୍। ଇତି ମଧ୍ୟରେ ଡ୍ରାଇଭର୍ ଖୋଜିବାକୁ ମୋଜେସ୍ ମୋତେ ସେଇଠି ଏକା ଠିଆ କରେଇ ଦେଇ ଚାଲିଗଲେ।

କାକୁଡି ବିକାଳି ଏଥର ମୋତେ ପରିଷ୍କାର ଇଂରେଜୀରେ ପଚାରିଲେ, ମୁଁ ଆସିଛି କୋଉଠୁ ? ବାଙ୍ଗାଲୋରରୁ, ମୁଁ ଉତ୍ତର ଦେଲି। ସେ ପୁଣି ପ୍ରଶ୍ନ କଲେ- ଆଉ କିଛି ଦିନ ପରେ କର୍ଣ୍ଣାଟକର ବଜେଟ୍ ନା ? ମୁଁ ଆଶ୍ଚର୍ଯ୍ୟ। ପଡ଼ୋଶୀ ରାଜ୍ୟର ଖବର ଜଣେ ରାସ୍ତାକଡ଼ର ଠେଲା ବ୍ୟବସାୟୀ ରଖିଛନ୍ତି ? ମୋତେ ଆହୁରି ଆଶ୍ଚର୍ଯ୍ୟ କରି ସେ ନିଜକୁ ନିଜେ କହିବା ଭଳି କହିଲେ - କାବେରୀ ନଦୀର ପାଣି ନେଇ ତାମିଲନାଡୁ ଆଉ କର୍ଣ୍ଣାଟକ ଭିତରେ ଏତେ ବାଦାବାଦି ଚାଲିଛି। କେମିତି ସମାଧାନ ହେବ ଏ ସମସ୍ୟାର ? ମଣିଷ କଣ ସତରେ ଏହାର ସମାଧାନ କରିପାରିବ ? ସବୁ ନିର୍ଭର କରୁଛି ବର୍ଷା ଉପରେ ଆଉ ବର୍ଷା ହେବା ନ ହେବା, ବେଶୀ କିମ୍ବା କମ୍ ହେବା ତ ଭଗବାନଙ୍କ ହାତରେ।

ମୁଁ କେବଳ ମୁଣ୍ଡ ଟୁଙ୍ଗାରିଲି। କିଛି ସମୟ ଚୁପ୍ ରହି ସେ ପୁଣି କହିଲେ- ପୃଥିବୀରେ କିଛି ନା କିଛି ସମସ୍ୟା ତ ସବୁବେଳେ ରହିବ ହେଲେ କେତେ ଜଣ ସଂକୀର୍ଣ୍ଣମନା ରାଜନୈତିକ ନେତା ସେସବୁକୁ ନେଇ ଲୋକଙ୍କ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି କେତେବେଳେ ଧର୍ମ, କେତେବେଳେ ପୁଣି ନଦୀର ପାଣି। ତାଙ୍କର କଥା ଶେଷ ହୋଇନଥିଲା। ଆଜିକାଲି ଯେଉଁ କେତେକ ଅସାଧୁ ବ୍ୟବସାୟୀ ଓ ଅସାମାଜିକ ଲୋକ ରାଜନୀତିର ପୃଥିବୀରେ ପଶିଯାଉଛନ୍ତି ଏବଂ ଦେଶର ଅବନତି କରୁଛନ୍ତି, ସେ ବିଷୟରେ ସେ ଏଥର ନିଜ ମତାମତ ଦେବା ଆରମ୍ଭ କଲେ।

କ୍ରମଶଃ କାକୁଡ଼ି କିଣିବାକୁ କେଇଜଣ ଆସି ତାଙ୍କ ପାଖରେ ଭିଡ଼ ଜମେଇଲେ। ବିକାକିଣା ବ୍ୟତୀତ ସେମାନଙ୍କର ଅନେକ ରକମର ଆଲୋଚନା ମଧ୍ୟ ହେଲା। କିନ୍ତୁ ଭାଷା ତାମିଲ ମୁଁ କିଛି ବୁଝିଲି ନାହିଁ ଭିଡ଼ କମିବା ପରେ ମୁଁ ପଚାରିଲି ସେ କଣ ବହୁତ ଦିନରୁ ଏଇ କାମ କରୁଛନ୍ତି ? ନା, ଆଗରୁ ସେ ଲଟେରି ଟିକେଟ୍ ବିକ୍ରି କରୁଥିଲେ ହେଲେ ତାମିଲନାଡୁରେ ଲଟେରି ଟିକେଟ୍ ବିକ୍ରି ବେଆଇନ୍ ହୋଇଯିବା ପରେ କାକୁଡ଼ି ବ୍ୟବସାୟ ଆରମ୍ଭ କରିଛନ୍ତି। ହଠାତ୍ ମୋ ମନକୁ ଅନ୍ୟ ଏକ ଭାବନା ଆସିଲା ମୁଁ ତାଙ୍କୁ ପଚାରିଲି, ତାଙ୍କର ଧର୍ମ କଣ ? ଏଥର ତିରସ୍କାରର ଦୃଷ୍ଟିରେ ସେ ମୋତେ ଚାହିଁଲେ ତାପରେ କହିଲେ, ସାର୍, ମୁଁ ଭାରତୀୟ ସେଇଟା ହିଁ ମୋ ଧର୍ମ। ମୋ ଆଖିରେ ସବୁ ମଣିଷ ସମାନ ସବୁ ଧର୍ମ ସମାନ।

ତାଙ୍କର ଚିନ୍ତାଧାରା, ପ୍ରତ୍ୟୟ ଓ ଜ୍ଞାନର ପରିସୀମା ମୋତେ ଅଭିଭୂତ କରିଥିଲା। କେତେବା ଦିନକୁ ରୋଜଗାର ହୋଇଥିବ ତାଙ୍କର ? ଗୋଟିଏ ଦିନରେ କେବଳ ଦିନକର ଖର୍ଚ୍ଚ ଉଠେଇବା ଭଳି ବୋଧହୁଏ ସଞ୍ଚୟ ନ ଥିବ, ଯଦି ଥିବ ତାହା ଅତି ସାମାନ୍ୟ ଅଥଚ ସେ ଖବରକାଗଜ ପଢ଼ନ୍ତି ତାଙ୍କ ଚାରିପାଖ ପୃଥିବୀର ଖବର ରଖନ୍ତି ପାଦରେ ଚଟି ନାହିଁ, ଅଧା ଭଙ୍ଗା ଠେଲା ଗାଡ଼ିରେ କାକୁଡ଼ି ବ୍ୟବସାୟ। ଅଭାବ ଅଛି, ଅଥଚ ଅଭିଯୋଗ ନାହିଁ ନିଜକୁ ନେଇ ନିଜେ ସେ ସନ୍ତୁଷ୍ଟ। ତାଙ୍କୁ ଦେଖି ମୋର ମନେ ହୋଇଥିଲା ଯେ ମୋ ନିଜ ପାଖରେ ହିଁ ହୁଏତ ଅନେକ ଅଭାବ ରହିଯାଇଛି।

ମୋଜେସ୍ ଗାଡ଼ି ଧରି ମୋ ପାଖରେ ପହଞ୍ଚିଗଲେ। କାକୁଡ଼ି ବିକ୍ରି କରୁଥିବା ଲୋକଜଣଙ୍କ ସହ ହାତ ମିଳେଇ ଦେଇ ମୁଁ ଗାଡ଼ିରେ ବସିଲି। କିନ୍ତୁ ମନ ହେଉଥିଲା କେବଳ ହାତ ନ ମିଳେଇ ତାଙ୍କର ପାଦ ଛୁଇଁ ପ୍ରଣାମ କରିବା ମୋର ଉଚିତ ହୋଇଥାଆନ୍ତା।

ଏ ହେଲା ଥରକର କଥା। ପୁଣି ଥରେ ମୋତେ ଗୋଟିଏ ବଡ଼ ଶିକ୍ଷା ମିଳିଥିଲା ଜଣେ ଅଜଣା ଅଚିହ୍ନା ମଣିଷଙ୍କ ଠାରୁ ଆମ ସମାଜର ତଥାକଥିତ ପିରାମିଡରେ ତଳକୁ ରହିଯାଇଥିବା ଆଉଜଣେ ଠେଲାଗାଡ଼ିର ମଣିଷ।

ଘଟଣାଟି ଘଟିଥିଲା ଏଇଭଳି। ବାଙ୍ଗାଲୋରରେ ସବୁଦିନ ଘରୁ ଅଫିସ୍ ଯିବା ବେଳେ ମୋତେ ଗୋଟିଏ ବଡ ଛକ ଟପିବାକୁ ହେଉଥିଲା। ବେଳେବେଳେ ସେଠି ଅଧ କିଲୋମିଟର୍ ପର୍ଯ୍ୟନ୍ତ ଗାଡ଼ି ଲମ୍ବିଯାଏ। ଦୁଇ ତିନି ଥର ସିଗ୍ନାଲ୍ ବଦଳିବାକୁ ଅପେକ୍ଷା କରିବାକୁ ହୁଏ। ପୁଣି ଅଧର୍ଜ୍ୟ ଡ୍ରାଇଭରମାନଙ୍କର ହର୍ଣ୍ଣ ଭୀଷଣ ବିରକ୍ତିକର। ସବୁଦିନ ବେଶ୍ କିଛି ସମୟ ମୋର ସେଇଠି ନଷ୍ଟ ହେଉଥିଲା। ସେଦିନ କିନ୍ତୁ ସୀମା ଅତିକ୍ରମ କରିଗଲା, ଏତେ ଡେରି ! ବିରକ୍ତିରେ ମୁଁ ମୋର ଶୀତତାପ ନିୟନ୍ତ୍ରିତ ଗାଡ଼ି ଭିତରୁ ବାହାରକୁ ଚାହିଁଲି ବାହାରେ ଏକ ଅଭାବନୀୟ ଦୃଶ୍ୟ।

ରାସ୍ତାର ଠିକ୍ ମଝିରେ ଓଲଟି ଯାଇଛି ଗୋଟିଏ ବିଲାତି ବାଇଗଣ ଭରା ଠେଲା ଗାଡ଼ି। ଚାରିଆଡ଼େ ବିଛେଇ ପଡ଼ିଛି ନାଲି ନାଲି ବିଲାତି ବାଇଗଣ। ସିଗ୍ନାଲ୍ ବଦଳିବା କ୍ଷଣି ଗାଡ଼ିମଟର ଧସି ଚାଲିଛନ୍ତି। ଆଉ ଗାଡ଼ି ଚାପାରେ ଅଧିକାଂଶ ବିଲାତି ବାଇଗଣ ମିଶିଯାଇଛି। ଧୂଳିରେ ଆଖପାଖରେ ଠିଆ ହୋଇଥିବା କେତେ ଜଣ ଯେତିକି ସମ୍ଭବ ବିଲାତି ବାଇଗଣକୁ ଗୋଟାଇ ଏକାଠି କରିବାକୁ ପ୍ରାୟ ନିଷ୍ଫଳ ଚେଷ୍ଟା କରୁଥାଆନ୍ତି। ଆଉ ବିଲାତି ବାଇଗଣ ବିକାଳିଟି ନିଜ ଠେଲା ଗାଡ଼ିକୁ ସିଧା କରିବାକୁ ପାରୁ ପର୍ଯ୍ୟନ୍ତ ଲାଗିଥାଏ। ଭାବାବେଗହୀନ ମୁହଁଟି ତାର ଦିନର ବ୍ୟବସାୟ ଆରମ୍ଭ ହେବା ଆଗରୁ ଶେଷ।

ଏଇ ମଣିଷଟି ଭଳି ଠେଲାଗାଡ଼ି ନେଇ ବ୍ୟବସାୟ କରୁଥିବା ଲୋକମାନଙ୍କର ଜୀବନ-ଧାରା ମୋର ଅଜଣା ନୁହଁ। ସେମାନେ ଜଣଙ୍କଠାରୁ ଚଢ଼ା ଦରରେ ଦିନକ ପାଇଁ ଟଙ୍କା ଧାର ନିଅନ୍ତି। ଅଧିକାଂଶ କ୍ଷେତ୍ରରେ ସୁଧର ପରିମାଣ ଦିନକୁ ଶତକଡ଼ା ଦଶ ଅର୍ଥାତ୍ ଶହେ ଟଙ୍କାରେ ଦଶ ଟଙ୍କା କରଜ ଟଙ୍କା ନେଇ ଭୋର ଚାରିଟା ବେଳେ ପ୍ରାୟ ପାଞ୍ଚ ମାଇଲ ଦୂରରେ ଥିବା ପାଇକାରୀ ହାଟକୁ ଯିବାକୁ ହୁଏ। ସକାଳ ସାତଟା ବେଳେ ଠେଲାଗାଡ଼ିରେ ପରିବାତକ ଧରି ସେମାନେ ପରିବା ବଜାରରେ ପହଞ୍ଚିଯାଆନ୍ତି। ଦିନ ଶେଷ ବେଳକୁ ହୁଏତ କିଛି ପରିବା ଅବିକ୍ରି ରହିଯାଏ। ସେତକ ଉପରବେଳା ବିକ୍ରି କରନ୍ତି। ସେମାନଙ୍କର ସ୍ତ୍ରୀମାନେ ଯାହା ବଳିଯାଏ, ତାହା ସେମାନଙ୍କର ରାତିର ଖାଇବା। ଦିନର ରୋଜଗାର ନେଇ ସେମାନେ ଯାଆନ୍ତି ମହାଜନ ପାଖକୁ ସୁଧ ଟଙ୍କା ଫେରସ୍ତ ଦେଇ। ପୁଣି ପରଦିନ ଆରମ୍ଭ ହୁଏ ସେଇ ଏକା ନିୟମରେ।

ଅକସ୍ମାତ୍ ଯଦି ଏଥିରେ ବ୍ୟତିକ୍ରମ ହୁଏ, ତାହେଲେ ଜୀବନ-ଧାରାରେ ବିରାଟ ବ୍ୟାଘାତ ଘଟେ। ଏଭଳି ବ୍ୟାଘାତ ବର୍ଷକୁ ପାଞ୍ଚ ଛଅ ଥର ଘଟେ ତ ନିଶ୍ଚୟ। ସେଦିନ ବିଲାତି ବାଇଗଣ ବିକାଳିର ଠେଲା ଗାଡ଼ି ଓଲଟି ଯାଇଥିଲା ଆଉ କେତେବେଳେ ହୁଏତ ଜିନିଷ କିଣି ବିକ୍ରି ପାଇଁ ଆସିବା ପରେ ଆରମ୍ଭ ହୋଇଯାଏ ଭୀଷଣ ବର୍ଷା। ବଜାର ବନ୍ଦ ରହେ, ଗରାଖ ଆସନ୍ତି ନାହିଁ ପରିବାତକ ପଚିଶଢ଼ି ଯାଏ। ପୁଣି କେତେବେଳେ ତୁଚ୍ଛ କାରଣରେ ସହରରେ ଦଙ୍ଗା ଆରମ୍ଭ ହୋଇଯାଏ। ସେଦିନ ମଧ୍ୟ ସେଇଭଳି ଅବିକ୍ରି ଅବସ୍ଥା।

ଏଭଳି ଘଟଣା କେବଳ ଯେ ପରିବା ଦୋକାନୀଙ୍କ ଜୀବନରେ ହୁଏ, ତା ନୁହଁ ଏକା ଭଳି ଜୀବନଯାପନ କରୁଥିବା ଅନେକ ମଣିଷଙ୍କ ଜୀବନରେ ମଧ୍ୟ ଏ ଭଳି ବାଧା ଆସେ। ହାଟ ବାହାରେ ବିକ୍ରି କରୁଥିବା ଗୁପଚୁପ ବାଲାର କିମ୍ବା ଉଠା ଚୁଲିରେ ତେଲ କରେଇ ବସେଇ ପିଆଜି ଆଳୁଚପ୍ ଛାଣୁଥିବା ଲୋକଟିର। ଏଭଳି ବାଧା ଆସିଲେ ସେମାନେ କଣ କରନ୍ତି ? ନିଜ ପସରାର କିଛିଟା ନିଜେ ଖାଆନ୍ତି କିଛି ହୁଏତ ସାହିଲୋକଙ୍କୁ ବାଣ୍ଟି ଦିଅନ୍ତି। ନଷ୍ଟ ହୋଇଯାଇଥିବା ଜିନିଷତକ ବେଳେବେଳେ ବାଧ୍ୟ ହୋଇ ଫୋପାଡ଼ି ଦିଅନ୍ତି।

ରାସ୍ତା କଡ଼ରେ ଛୋଟ ବ୍ୟବସାୟ କରୁଥିବା ମଣିଷମାନଙ୍କର ନା ଥାଏ ସଞ୍ଚୟ ନା କୌଣସି ଆଶ୍ରାବାଡ଼ି। ଅନ୍ୟପକ୍ଷରେ ଅଛନ୍ତି ଅନେକ। ଯେଉଁମାନଙ୍କର ଶିକ୍ଷା ଅଛି, ସ୍ଥାୟୀ ଚାକିରି ଅଛି, ସ୍ବାସ୍ଥ୍ୟ-ବୀମା ଅଛି ମାସ ଶେଷରେ ଦରମା ଆସିଯାଏ, ଅବସର ପରେ ପେନ୍ସନ୍ ମିଳେ ଅଥଚ ସେମାନଙ୍କର କେତେ ଦୁଶ୍ଚିନ୍ତା ! କଟକରୁ ରାଉରକେଲା ବଦଳି ହୋଇଗଲେ ଭାବନା ବେସରକାରୀ ସଂସ୍ଥାରେ ଛଟେଇ ହେଲେ କଣ ହେବ, ତା ନେଇ ମନରେ ଅହେତୁକ ଆଶଙ୍କା। ଆସନ୍ତା ଦଶବର୍ଷ ପରର ଅନାଗତ ଭବିଷ୍ୟତ ଚିନ୍ତାରେ ମନ ଭାରାକ୍ରାନ୍ତ। ସାମାନ୍ୟ ଉତ୍ଥାନ-ପତନରେ ସେମାନେ ବିଚଳିତ। କିନ୍ତୁ ଏଇ ସବୁ ଭୟ, ଆଶଙ୍କା କଣ ରାସ୍ତାଯାକ ବିଛେଇ ହୋଇଯାଇଥିବା ବିଲାତି ବାଇଗଣ ପରି ଦୁର୍ଦଶାଠାରୁ ସତରେ ଅଧିକ ? 

ମୁଁ ଦେଖିଲି, ଠେଲାଗାଡ଼ିକୁ ସିଧା କରି କଡ଼େଇ ନେଲା ଲୋକଟି। ତା ଆଖିରେ ଲୁହ ନାହିଁ ମନ ତଳେ ନିଶ୍ଚୟ ରହିଛି ଅବସାଦ, କିନ୍ତୁ ମୁହଁରେ ତାର ପ୍ରତିଫଳନ ନାହିଁ। ଛକର ନାଲି ସିଗ୍ନାଲ୍ ସବୁଜ ହୋଇସାରିଥିଲା। ଅଳ୍ପ ସମୟ ଭିତରେ ମୋ ଗାଡ଼ି ଆଗକୁ ଚାଲିଯିବ ହେଲେ ମୋ ମନଦର୍ପଣରେ ଛାପି ହୋଇଯାଇଥିଲା ଲୋକଟିର ମୁହଁଟି। ସେ ଏବେ କଣ କରିବ ? ନିଶ୍ଚିତ ଭାବରେ ଚାଲିଯିବ ସେଇ ଚିହ୍ନା ମହାଜନ ପାଖକୁ ନିର୍ବିକାର ମହାଜନ ଦିନକର ସୁଧ ପାଇନଥିବାରୁ ଆହୁରି ଚଢ଼ା ଦରରେ ପରଦିନ ପାଇଁ ଋଣ ଦେବ। ଆଉ ସକାଳ ହେବାର ଯଥେଷ୍ଟ ଆଗରୁ ନିଜର ଖାଲି ଠେଲା ଗାଡ଼ି ନେଇ ଲୋକଟି ପୁଣି ଥରେ ଫେରିଯିବ ପାଇକାରୀ ବଜାରର ଭିଡ଼ ଭିତରକୁ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।